ଲେବୀୟ ପୁସ୍ତକ 2
Odia Holy Bible: Easy-to-Read Version
ଶସ୍ୟ ନୈବେଦ୍ୟ
2 “ଆଉ କେହି ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଶସ୍ୟ ନୈବେଦ୍ୟ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦାରେ ନୈବେଦ୍ୟ ହେବ। ପୁଣି ସେଥିରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ। 2 ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କର୍ପୂର ନେବ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ଯଜ୍ଞବେଦି ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଅଟେ। 3 ଏହି ଶସ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆଯାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।
ପକ୍ୱ ଶସ୍ୟ ନୈବେଦ୍ୟ
4 “ଆଉ ଯଦି କେହି ତୁନ୍ଦୁରରେ ପକ୍ୱ କରି ଶସ୍ୟ-ନୈବେଦ୍ୟ ଦିଏ, ତେବେ ତାହା ତାଡ଼ିଶୂନ୍ୟ ରୋଟୀ ଓ ତୈଳରେ ଛଣା ଯାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହେବ। 5 ପୁଣି ଯଦି ନୈବେଦ୍ୟ କରେଇରେ ସେକା ହୋଇଥିବା ପିଠା ହୁଏ, ତେବେ ଏହା ନିଶ୍ଚିତ ତାଡ଼ିଶୂନ୍ୟ ସରୁ ମଇଦାରୁ ତିଆରି ହୋଇ ତୈଳରେ ଭଜା ହୋଇ ତିଆରି ହୋଇଥିବ। 6 ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ୟ ନୈବେଦ୍ୟ ହେବ। 7 ଯଦି ତୁମ୍ଭେ କରେଇରେ ରୋଷେଇ ହୋଇ ଶେକା ଯାଇଥିବା ଶସ୍ୟ ଦିଅ, ତେବେ ତାହା ନିଶ୍ଚିତ ତେଲରେ ଭଜା ଯାଇଥିବ ଓ ସରୁ ମଇଦାରେ ହୋଇ କରେଇରେ ପରସା ଯାଇଥିବ।
8 “ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତି ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ଆଉ ତାହା ଯାଜକକୁ ଦେବ ଓ ଯାଜକ ତାକୁ ନେଇ ଯଜ୍ଞବେଦି ଉପରେ ରଖିବ। 9 ପୁଣି ଯାଜକ ସେହି ଭଜା ଶସ୍ୟରୁ କିଛି ଅଂଶ ନେବା ଉଚିତ୍ ଓ ଯଜ୍ଞବେଦି ଉପରେ ଏହି ସ୍ମରଣାର୍ଥକ ଅଂଶ ଦଗ୍ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନୈବେଦ୍ୟ ଅଟେ। 10 ସେହି ଶସ୍ୟ-ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହେବ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆଯାଏ ତାହା ମହାପବିତ୍ର ଅଟେ।
11 “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଶସ୍ୟ-ନୈବେଦ୍ୟ ଆଣିବ, ତାହା ତାଡ଼ିଶୂନ୍ୟ ହେବା ଉଚିତ୍। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ତାଡ଼ି କି ମଧୁ କେବେ ଦଗ୍ଧ କରିବା ଉଚିତ୍ ନୁହେଁ। 12 ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାଡ଼ି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହେବ। ଏହାକୁ ଯଜ୍ଞବେଦି ଉପରକୁ ନିଆ ଯାଇ ପାରିବ ନାହିଁ। 13 ତୁମ୍ଭେ ସମସ୍ତ ଶସ୍ୟ ନୈବେଦ୍ୟରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ୱରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ୟ ନୈବେଦ୍ୟରେ ଦେବ। ଆଉ ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଏକ ଅଂଶ ହେବ।
ପ୍ରଥମଜାତ ଶସ୍ୟ ନୈବେଦ୍ୟ
14 “ପୁଣି ଯେବେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଶସ୍ୟ ନୈବେଦ୍ୟ ରୂପେ ଅଗ୍ନିରେ ଭଜା ତାଜା ଶସ୍ୟ ଉତ୍ସର୍ଗ କରିବ। 15 ପୁଣି ତାହା ଉପରେ ତୈଳ ଦେବ ଓ ଲୋବାନି ରଖିବ। ତାହା ଶସ୍ୟ ନୈବେଦ୍ୟ ହେବ। 16 ତା'ପରେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରଣାର୍ଥକ ଅଂଶ ରୂପେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।
2010 by Bible League International