Add parallel Print Page Options

ଯିଶାଇୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ହେବାକୁ ପରମେଶ୍ୱରଙ୍କ ଆହ୍ୱାନ

ଯିହୁଦାର ରାଜା ଉଷିୟଙ୍କ ମୃତ୍ୟୁବର୍ଷରେ ମୁଁ ମୋର ପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହେଲି। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପରେ ଉପବିଷ୍ଟ ହୋଇଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା। ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ସରାଫଗଣ ଛିଡ଼ା ହୋଇଥିଲେ। ପ୍ରତ୍ୟେକ ସରାଫଙ୍କର ଛଅଟି ପକ୍ଷ ଥିଲା। ସେହି ଦେବଦୂତଗଣ ସେମାନଙ୍କର ଦୁଇଟି ପକ୍ଷରେ ମୁଖକୁ ଆଚ୍ଛାଦନ କରିଥିଲେ। ସେମାନେ ମଧ୍ୟ ଦୁଇଟି ପକ୍ଷ ସାହାଯ୍ୟରେ ସେମାନଙ୍କର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବାରେ ଦୁଇଟି ପକ୍ଷ ବ୍ୟବହାର କରୁଥିଲେ। ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା। ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।

ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”

ସେଠାରେ ଯଜ୍ଞବେଦି ଉପରେ ଜ୍ୱଳନ୍ତ ଅଗ୍ନି ଥିଲା। ସେହି ଦୂତଗଣଙ୍କ ମଧ୍ୟରୁ ଜଣେ ଚିମୁଟା ସାହାଯ୍ୟରେ ଗୋଟିଏ ଜ୍ୱଳନ୍ତ କୋଇଲା ଆଣିଲା ଓ ସେହି ଉତ୍ତପ୍ତ ଅଙ୍ଗାର ଧରି ମୋ’ ନିକଟକୁ ରହିଆସିଲା। ସେହି ସରାଫ ଦେବଦୂତ ସେହି ଉତ୍ତପ୍ତ ଅଙ୍ଗାର ସାହାଯ୍ୟରେ ମୋର ମୁଖକୁ ସ୍ପର୍ଶ କଲା। ତା’ପରେ ସେ କହିଲେ, “ଦେଖ! ମୁଁ ଏହି ଜ୍ୱଳନ୍ତ ଅଙ୍ଗାରରେ ତୁମ୍ଭର ଓଷ୍ଠାଧରକୁ ସ୍ପର୍ଶ କଲି କାରଣ ଏହା ଦ୍ୱାରା ତୁମ୍ଭର ଅପରାଧ ଦୂରିଭୂତ ହେଲା ଓ ତୁମ୍ଭେ ପାପରୁ ମୁକ୍ତ ହେଲେ।”

ତା’ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?”

ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”

ତା’ପରେ ସଦାପ୍ରଭୁ କହିଲେ, “ଯାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ‘ଯଦିଓ ତୁମ୍ଭେମାନେ ଶୁଣୁଛ, କିନ୍ତୁ ତୁମ୍ଭେମାନେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।’ 10 ସେମାନଙ୍କୁ ବିଭ୍ରାନ୍ତ କର। ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସେହିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ କର ସେମାନେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତରେ ବୁଝି ପାରିବେ। ଲୋକମାନେ ସେମାନଙ୍କର ସର୍ବାନ୍ତକରଣରେ ବୁଝିପାରିବେ। ଏହା କଲେ ସେମାନେ ମୋ’ ନିକଟକୁ ଫେରି ଆସିବେ ଓ ମୋ’ଠାରୁ ସୁସ୍ଥତା ପାଇବେ।”

11 ତା’ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?”

ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।”

12 ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦେବେ। ଦେଶରେ ବିସ୍ତୃତ ଅଞ୍ଚଳ ଜନଶୂନ୍ୟ ହେବ। 13 ମାତ୍ର ଏକ ଦଶମାଂଶ ଲୋକ ରହିବାକୁ ଅନୁମତି ପାଇବେ। ଏହି ଦଶମାଂସ ଲୋକ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ ଓ ଅନ୍ୟମାନେ ଧ୍ୱଂସ ପାଇବେ। ଏମାନେ ଅଲୋନଗଛ ସଦୃଶ ହେବେ। ଅଲୋନ ଗଛ ହଣା ହେଲା ପରେ ତା’ର ଗଣ୍ଡି ଯେପରି ସୁଦୃଢ଼ ରହେ, କର୍ତ୍ତିତ ବୃକ୍ଷର ଅବଶିଷ୍ଟାଂଶ ପବିତ୍ର ବୀଜ।