Add parallel Print Page Options

ପରମେଶ୍ୱର ସର୍ବଦା ତାଙ୍କ ସନ୍ତାନଙ୍କ ସହବର୍ତ୍ତୀ

43 ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର। ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦ‌ଗ୍‌ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଇସ୍ରାଏଲ ଧର୍ମସ୍ୱରୂପ ତୁମ୍ଭର ତ୍ରାଣକର୍ତ୍ତା। ଆମ୍ଭେ ତୁମ୍ଭର ମୁକ୍ତିର ମୂଲ୍ୟ ସ୍ୱରୂପରେ ମିଶର ଓ ତୁମ୍ଭକୁ ପାଇବା ପାଇଁ କୂଶ୍ ଓ ଶିବାଦେଶ ଦେଇଅଛୁ। ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।

“ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା। ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ। ଆମ୍ଭ ନାମରେ ଖ୍ୟାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍ଥେ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ୟେକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।

ପରମେଶ୍ୱର କୁହନ୍ତି, “ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସେହି ଲୋକଙ୍କୁ ବାହାର କରି ଆଣ। ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”

10 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ତୁମ୍ଭେମାନେ ମୋର ମନୋନୀତ ଦାସ। କାରଣ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ ରଖନ୍ତୁ ବୋଲି ପ୍ରଗ୍ଭର କରିବ ଓ ‘ଆମ୍ଭେ ସେହି ଅଟୁ’ ବୋଲି ସେମାନେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ୱର, ପୂର୍ବରୁ କେହି ପରମେଶ୍ୱର ନ ଥିଲେ କି ପରେ କେହି ଈଶ୍ୱର ହେବେ ନାହିଁ। 11 ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ୟତୀତ ତ୍ରାଣକର୍ତ୍ତା କେହି ନାହାନ୍ତି। 12 ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧ୍ୟରେ କେହି ବିଦେଶୀୟ ଦେବତା ନ ଥିଲେ, ଆମ୍ଭେ ଦେଖାଇଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।” 13 “ଆମ୍ଭେ ସର୍ବଦା ଅନନ୍ତ ପରମେଶ୍ୱର ହୋଇ ରହିବୁ। ଆମ୍ଭେ ଯାହା କରିବୁ କେହି ତାହା ଅନ୍ୟଥା କରି ପାରିବ ନାହିଁ। ଆମ୍ଭ ପରାକ୍ରମ ନିକଟରେ କେହି ହେଲେ ଅନ୍ୟଜଣକୁ ରକ୍ଷା କରି ପାରିବ ନାହିଁ।”

14 ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କ‌‌ଲ୍‌‌ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ। 15 ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”

ପରମେଶ୍ୱର ତାଙ୍କ ଲୋକଙ୍କୁ ପୁନର୍ବାର ରକ୍ଷା କରିବେ

16 ସଦାପ୍ରଭୁ ସମୁଦ୍ରରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧ୍ୟରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି, 17 “ଯେଉଁ ଲୋକମାନେ ରଥ, ଅଶ୍ୱ, ସୈନ୍ୟ ଓ ବୀରଗଣଙ୍କୁ ନେଇ ମୋ’ ବିପକ୍ଷରେ ଲଢ଼ିବେ, ସେ ଲୋକମାନଙ୍କର ପତନ ଘଟିବ, ସେମାନେ କେବେ ଉଠିବେ ନାହିଁ। ସେମାନେ ଧ୍ୱଂସ ହେବେ ଓ ଛଣପଟ ପରି ଲିଭିଯିବେ। 18 ତେଣୁ ଆଦ୍ୟରେ ଘଟିଥିବା ବିଷୟକୁ ସ୍ମରଣ କର ନାହିଁ କିମ୍ବା ବହୁବର୍ଷ ପୂର୍ବେ ଘଟିଥିବା ବିଷୟକୁ ବିବେଚନା କର ନାହିଁ। 19 କାରଣ ଆମ୍ଭେ ନୂତନ କାର୍ଯ୍ୟ କରିବୁ। ଏବେ ତୁମ୍ଭେ ଅଙ୍କୁରିତ ହେବ। ତୁମ୍ଭେ ଏହା ସତ୍ୟ ବୋଲି ନିଶ୍ଚିତ ଜାଣିବ। ଆଉ ମଧ୍ୟ ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା। 20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। 21 ସେହି ଲୋକମାନଙ୍କୁ ଆମ୍ଭର ପ୍ରଶଂସା ଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।

22 “ତଥାପି ହେ ଯାକୁବ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କରି ନାହଁ। ହେ ଇସ୍ରାଏଲ, ତୁମ୍ଭେ ଆମ୍ଭ ପ୍ରତି ବିମୁଖ ହୋଇଅଛ। 23 ଆମ୍ଭ ନିମନ୍ତେ ନିଜର ଉତ୍ସର୍ଗ ମେଷଗୁଡ଼ିକୁ ଆମ୍ଭ ନିକଟକୁ ଆଣି ନାହଁ। କିମ୍ବା ବଳିଦାନ ଦ୍ୱାରା ଆମ୍ଭର ଅଭ୍ୟର୍ଥନା କରି ନାହଁ। ଆମ୍ଭେ ନୈବେଦ୍ୟ ନିମନ୍ତେ ତୁମ୍ଭକୁ ଦାସ ଭାବରେ ବ୍ୟବହାର କରି ନାହୁଁ କିମ୍ବା ଧୂପ ନିମନ୍ତେ ତୁମ୍ଭକୁ କ୍ଳାନ୍ତ କରି ନାହୁଁ। 24 ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ୟ କ୍ରୟ କରିବାକୁ ରୌପ୍ୟ ମୁଦ୍ରା ଦେଇ ନାହଁ। କିମ୍ବା ତୁମ୍ଭ ବଳିର ମେଦରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ୱାରା ଆମ୍ଭକୁ ଦାସ୍ୟ କର୍ମ କରାଇଛ ଓ ଆପଣା ନାନା ଅଧର୍ମରେ ଆମ୍ଭକୁ କ୍ଳାନ୍ତ କରିଅଛ।

25 “ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ୟ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିଯାଏ। ମୋର ଗାରିମାକୁ ରକ୍ଷା କରିବାକୁ ଏପରି କରେ। 26 ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ। 27 ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳରେ ଗଲେ। 28 ଏଣୁ ଆମ୍ଭେ ପବିତ୍ର ସ୍ଥାନର ଅଧିପତିମାନଙ୍କୁ ଅପବିତ୍ର କରିବା। ଆମ୍ଭେ ଯାକୁବକୁ ଅଭିଶାପ ଦେବା ଓ ଇସ୍ରାଏଲକୁ ନିନ୍ଦିତ କରିବା।