Add parallel Print Page Options

ଲେବୀୟମାନେ ମନ୍ଦିରରେ ସେବାକାର୍ଯ୍ୟ କରିବାର ଯୋଜନା

23 ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇସ୍ରାଏଲର ନୂତନ ରାଜା କଲେ। ଦାଉଦ ଇସ୍ରାଏଲର ସମସ୍ତ ନେତାମାନଙ୍କୁ ଏକତ୍ରିତ କଲେ। ସେ ଯାଜକ ଓ ଲେବୀୟମାନଙ୍କୁ ମଧ୍ୟ ଏକତ୍ର କଲେ। ଯେଉଁ ଲେବୀୟମାନେ 30 ବର୍ଷ ବୟସ୍କ ଓ ତତୁର୍ଦ୍ଧ୍ୱ ଥିଲେ, ଦାଉଦ ସେମାନଙ୍କୁ ଗଣନା କଲେ। ସମୁଦାୟ 38,000 ଲେବୀୟ ହେଲେ। ଦାଉଦ କହିଲେ, “24,000 ଲେବୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବେ। 6000 ଲେବୀୟ ପୋଲିସ୍ ଓ ବିଗ୍ଭରକର୍ତ୍ତା ହେବେ। 4000 ଲେବୀୟ ଦ୍ୱାରପାଳ ହେବେ ଏବଂ 4000 ଲେବୀୟ ବାଦ୍ୟକାର ହେବେ। ମୁଁ ସେମାନଙ୍କ ନିମନ୍ତେ ବିଶେଷ ବାଦ୍ୟଯନ୍ତ୍ରସବୁ ନିର୍ମାଣ କରିଅଛି। ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସେହି ବାଦ୍ୟଯନ୍ତ୍ରଗୁଡ଼ିକୁ ବ୍ୟବହାର କରିବେ।”

ଦାଉଦ ଲେବୀୟମାନଙ୍କୁ ତିନି ଗୋଟି ଦଳରେ ବିଭକ୍ତ କଲେ। ସେମାନେ ଲେବୀୟଙ୍କ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।

ଗେର୍ଶୋନ ପରିବାରବର୍ଗ

ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିୟି। ଲାଦନଙ୍କର ତିନିପୁତ୍ର ଥିଲେ। ତାଙ୍କର ଜ୍ୟେଷ୍ଠପୁତ୍ର ଥିଲେ ଯିହୀୟେଲ। ତାଙ୍କର ଅନ୍ୟ ପୁତ୍ରମାନେ ଥିଲେ, ଯିହୀୟେଲ, ସେଥମ୍ ଓ ଯୋୟେଲ। ଶିମିୟିଙ୍କ ପୁତ୍ରମାନେ ଥିଲେ ଶଲୋମୀତ୍, ହସୀୟେଲ ଓ ହାରୋଣ। ଏହି ତିନିପୁତ୍ର ଲାଦନଙ୍କ ପରିବାରର ମୁଖ୍ୟ ଥିଲେ।

10 ଶିମିୟିଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ, ଯହତ୍, ସୀଷ, ଯିୟୂଶ୍ ଓ ବରୀୟ। 11 ଯହତ୍ ଜ୍ୟେଷ୍ଠ ପୁତ୍ର ଓ ସୀଷ ଦ୍ୱିତୀୟ ପୁତ୍ର ଥିଲେ। କିନ୍ତୁ ଯିୟୁଶ୍ ଓ ବରୀୟର ଅନେକ ସନ୍ତାନ ନ ଥିଲେ। ତେଣୁ ଯିୟୂଶ୍ ଓ ବରୀୟଙ୍କୁ ଗୋଟିଏ ପରିବାର ରୂପେ ଗଣ୍ୟ କରାଯାଉ ନ ଥିଲା।

କହାତ୍ ପରିବାରବର୍ଗ

12 କହାତଙ୍କର ଗ୍ଭରିପୁତ୍ର ଥିଲେ। ସେମାନେ ହେଲେ ଅମ୍ରାମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ। 13 ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।

14 ମୋଶା ପରମେଶ୍ୱରଙ୍କ ଲୋକ ଥିଲେ। ମୋଶାଙ୍କ ପୁତ୍ରମାନେ ଲେବୀୟ ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ। 15 ମୋଶାଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀୟେଷର। 16 ଗେର୍ଶୋନଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଶବୂୟେଲ। 17 ଇଲୀୟେଷରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ରହବିୟ। ଇଲୀୟେଷରଙ୍କ ଆଉ କୌଣସି ପୁତ୍ର ସନ୍ତାନ ନ ଥିଲେ। କିନ୍ତୁ ରହବିୟଙ୍କର ଅନେକ ପୁତ୍ର ଥିଲେ।

18 ଯି‌ଷ୍‌ହରର ଜ୍ୟେଷ୍ଠପୁତ୍ର ଥିଲେ ଶଲୋମୀତ୍।

19 ହିବ୍ରୋଣଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଯିରୀୟ। ହିବ୍ରୋଣଙ୍କ ଦ୍ୱିତୀୟ ପୁତ୍ର ଥିଲେ ଅମରିୟ। ଯହସୀୟେଲ ତୃତୀୟ ପୁତ୍ର ଓ ଯି‌କ୍‌ମିୟାମ୍ ଚତୁର୍ଥ ପୁତ୍ର ଥିଲେ।

20 ଉଷୀୟେଲଙ୍କ ଜ୍ୟେଷ୍ଠପୁତ୍ର ଥିଲେ ମୀଖା ଓ ଯିଶିୟ ତାଙ୍କର ଦ୍ୱିତୀୟ ପୁତ୍ର ଥିଲେ।

ମରାରି ପରିବାରବର୍ଗ

21 ମରାରିଙ୍କ ପୁତ୍ରମାନେ ଥିଲେ ମହଲି ଓ ମୂଶି। ମହଲିଙ୍କ ପୁତ୍ରମାନେ ଥିଲେ ଇଲୀୟାସର ଓ କୀଶ୍। 22 ଇଲୀୟାସର ଅପୁତ୍ରିକ ହୋଇ ମୃତ୍ୟୁବରଣ କଲେ। ତାଙ୍କର କେବଳ କନ୍ୟାମାନେ ଥିଲେ। ଇଲୀୟାସରଙ୍କ କନ୍ୟାମାନେ ସେମାନଙ୍କର ନିଜ ଆତ୍ମୀୟମାନଙ୍କୁ ବିବାହ କଲେ। କୀଶଙ୍କର ପୁତ୍ରମାନେ ସେମାନଙ୍କର ଆତ୍ମୀୟ ଥିଲେ। 23 ମୂଶିଙ୍କ ପୁତ୍ରମାନେ ଥିଲେ, ମହଲି, ଏଦର ଓ ଯିରେମୋତ୍। ସମୁଦାୟ ତିନି ଜଣ ପୁତ୍ର ଥିଲେ।

ଲେବୀୟମାନଙ୍କର କାର୍ଯ୍ୟ

24 ଏହିମାନେ ଲେବୀଙ୍କ ଗୋଷ୍ଠୀର ଥିଲେ। ସେମାନେ ସେମାନଙ୍କର ପରିବାର ଦ୍ୱାରା ତାଲିକାଭୁକ୍ତ ହୋଇଥିଲେ। ସେମାନେ ପରିବାରର ମୁଖ୍ୟ ଥିଲେ। ପ୍ରତ୍ୟେକ ଲୋକର ନାମ ତାଲିକାଭୁକ୍ତ କରାଗଲା। ଯେଉଁ ଲୋକମାନଙ୍କର ନାମ ତାଲିକାଭୁକ୍ତ କରାଗଲା, ସେମାନେ କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ। ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ ସେବାକାର୍ଯ୍ୟ କଲେ।

25 ଦାଉଦ କହିଥିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଶାନ୍ତି ପ୍ରଦାନ କରିଅଛନ୍ତି। ସଦାପ୍ରଭୁ ଯିରୁଶାଲମରେ ଚିରକାଳ ନିମନ୍ତେ ବାସ କରିବାକୁ ଆସିଅଛନ୍ତି। 26 ତେଣୁ ଲେବୀୟମାନଙ୍କୁ ଆଉ ପବିତ୍ର ତମ୍ବୁ କିଅବା ସେଥିରେ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ବୋହିକରି ନେବାକୁ ପଡ଼ିବ ନାହିଁ।”

27 ଇସ୍ରାଏଲୀୟମାନଙ୍କୁ ଦାଉଦଙ୍କର ଶେଷ ଆଦେଶ ଥିଲା ଲେବୀୟ ଗୋଷ୍ଠୀର ବଂଶଧରମାନଙ୍କୁ ଗଣିବାକୁ କହିବା। ଯେଉଁ ଲେବୀୟ ବ୍ୟକ୍ତି 20 ବର୍ଷ ବା ତତୁର୍ଦ୍ଧ୍ୱ ବୟସର ଥିଲେ, ସେମାନେ ସେମାନଙ୍କୁ ଗଣନା କଲେ।

28 ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରିବା ଲେବୀୟମାନଙ୍କ କାର୍ଯ୍ୟ ଥିଲା। ଲେବୀୟମାନେ ଆହୁରି ମଧ୍ୟ ମନ୍ଦିରର ପ୍ରାଙ୍ଗଣ ଓ ପାର୍ଶ୍ୱବର୍ତ୍ତୀ କୋଠରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସେମାନଙ୍କର କାର୍ଯ୍ୟ ଥିଲା। ପରମେଶ୍ୱରଙ୍କ ମନ୍ଦିରର ସେବା କରିବା କାର୍ଯ୍ୟ ସେମାନଙ୍କର ଥିଲା। 29 ମନ୍ଦିରର ମେଜ ଉପରେ ବିଶେଷରୋଟୀ ରଖିବାର ଦାୟିତ୍ୱ ସେମାନଙ୍କର ଥିଲା। ଆହୁରି ମଧ୍ୟ, ସେମାନଙ୍କର ମଇଦା, ଶସ୍ୟ ନୈବେଦ୍ୟ ଓ ଖମିର ବିନା ରୋଟୀ ପ୍ରସ୍ତୁତ କରିବାର ଦାୟିତ୍ୱ ଥିଲା। ପିଠା ପାକ କରିବା ଓ ମିଶ୍ରିତ ନୈବେଦ୍ୟ ଉତ୍ସର୍ଗ କରିବା ଦାୟିତ୍ୱ ମଧ୍ୟ ସେମାନଙ୍କର ଥିଲା। ସେମାନେ ସବୁ ପ୍ରକାର ମାପ ତୌଲି କରୁଥିଲେ। 30 ଲେବୀୟମାନେ ପ୍ରତି ପ୍ରଭାତରେ ଛିଡ଼ା ହେଉଥିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରୁଥିଲେ। ସେମାନେ ପ୍ରତିଦିନ ସନ୍ଧ୍ୟାରେ ମଧ୍ୟ ଏହିପରି କରୁଥିଲେ। 31 ବିଶେଷ ବିଶ୍ରାମବାର, ଅମାବାସ୍ୟାର ଉତ୍ସବ ଓ ସମସ୍ତ ବିଶେଷ ରୋଟୀମାନଙ୍କରେ ଲେବୀୟମାନେ ସବୁପ୍ରକାର ହୋମବଳି ପ୍ରସ୍ତୁତ କରୁଥିଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରତିଦିନ ସେବାକାର୍ଯ୍ୟ କରୁଥିଲେ। ପ୍ରତିଥର କେତେଜଣ ଲେବୀୟ ସେବାକାର୍ଯ୍ୟ କରିବେ, ଏଥିନିମନ୍ତେ ବିଶେଷ ନିୟମମାନ ଥିଲା। 32 ତେଣୁ ଲେବୀୟମାନେ ଯେଉଁ କାର୍ଯ୍ୟ କରିବା ଉଚିତ୍, ସେମାନେ ସେହିସବୁ କାର୍ଯ୍ୟ କରୁଥିଲେ। ସେମାନେ ପବିତ୍ର ତମ୍ବୁର ଯତ୍ନ ନେଉଥିଲେ। ସେମାନେ ପବିତ୍ର ସ୍ଥାନର ଯତ୍ନ ନେଉଥିଲେ। ଆଉ, ସେମାନେ ସେମାନଙ୍କର ଆତ୍ମୀୟ (ଯାଜକମାନେ) ହାରୋଣଙ୍କ ବଂଶଧରମାନଙ୍କୁ ସାହାଯ୍ୟ କରୁଥିଲେ। ସଦାପ୍ରଭୁଙ୍କ ମନ୍ଦିରର ସେବାକାର୍ଯ୍ୟ କରିବା ସହିତ ଲେବୀୟମାନେ ଯାଜକମାନଙ୍କୁ ସାହାଯ୍ୟ କରୁଥିଲେ।