Añadir traducción en paralelo Imprimir Opciones de la página

ବାଶନ ଲୋକମାନଙ୍କ ସହିତ ଯୁଦ୍ଧ

“ଆମ୍ଭେମାନେ ଫେରି ବାଶନକୁ ଗଲୁ। ବାଶନର ରାଜା ଓଗ୍ ଏବଂ ତାହାର ସମସ୍ତ ପ୍ରଜା ଆମ୍ଭ ସହିତ ଯୁଦ୍ଧ କରିବାକୁ ଇଦ୍ରିୟୀକି ବାହାରି ଆସିଲେ। ସଦାପ୍ରଭୁ ମୋତେ କହିଲେ, ‘ଓ‌ଗ୍‌କୁ ଭୟ କର ନାହିଁ, ମୁଁ ନିଷ୍ପତ୍ତି ନେଇଛି ଯେ ତାକୁ ତୁମ୍ଭମାନଙ୍କ ଆଗରେ ସମର୍ପଣ କରିବି। ମୁଁ ମଧ୍ୟ ତାଙ୍କର ସମସ୍ତ ଲୋକମାନଙ୍କୁ ଓ ଦେଶସବୁ ତୁମ୍ଭକୁ ଦେବି। ଇମ୍ମୋରୀୟ ରାଜା ସୀହୋନ ଯିଏକି ସଷବୋରେ ରାଜତ୍ୱ କରୁଥିଲେ, ସେହିପରି ତାହା ପ୍ରତି ମଧ୍ୟ କରିବ।’

“ତେଣୁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ବାଶନର ରାଜା ଓଗ୍ ଉପରେ ଆମ୍ଭକୁ ବିଜୟ ପ୍ରଦାନ ଦେଲେ। ଆମ୍ଭେମାନେ ତାଙ୍କୁ ଏବଂ ତାଙ୍କର ସମସ୍ତ ଲୋକମାନଙ୍କୁ ହତ୍ୟା କଲୁ ଏବଂ କେହି ଜଣେବି ରହିଲେ ନାହିଁ। ଆମ୍ଭେମାନେ ତାଙ୍କର ସମସ୍ତ ନଗର ହସ୍ତଗତ କଲୁ। ଯଥା ତାଙ୍କର ଥିବା ଷାଠିଏଟିଯାକ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ ଅର୍ଥାତ୍ ବାଶନସ୍ଥ ଓ‌‌ଗ୍‌‌ର ରାଜ୍ୟ ଆମ୍ଭେ ହସ୍ତଗତ କଲୁ। ସମସ୍ତ ନଗର ଗୁଡ଼ିକ ସୁରକ୍ଷିତ ଥିଲା। ସେଗୁଡ଼ିକର ଉଚ୍ଚ ପ୍ରାଚୀର ଥିଲା, ଦ୍ୱାରଥିଲା ଓ ଅର୍ଗଳରେ ସୁରକ୍ଷିତ ଥିଲା। ଏପରି ମଧ୍ୟ କେତେକ ନଗର ଥିଲା ଯାହାର ପ୍ରାଚୀର ନ ଥିଲା। ହି‌ଷ୍‌ବୋନର ରାଜା ସୀହୋନଙ୍କୁ ଯେପରି କରିଥିଲେ, ସେହିପରି ଏଠାରେ ଆମ୍ଭେ ସମସ୍ତଙ୍କୁ ଏପରି କି ସ୍ତ୍ରୀ ଓ ପିଲାମାନଙ୍କୁ ମଧ୍ୟ ବିନାଶ କଲୁ। କିନ୍ତୁ ଆମ୍ଭେମାନେ ସମସ୍ତ ପଶୁ ଏବଂ ନଗରରୁ ଲୁଟିତ ଦ୍ରବ୍ୟସବୁ ନିଜ ନିଜ ପାଇଁ ଗ୍ରହଣ କଲୁ।

“ଏହି ପ୍ରକାରରେ, ଆମ୍ଭେମାନେ ଯର୍ଦ୍ଦନର ପୂର୍ବ ପାରିସ୍ଥ ଇମୋରୀୟମାନଙ୍କ ଦୁଇ ରାଜାଙ୍କର ହାତରୁ ଅର୍ଣ୍ଣୋନ ଉପତ୍ୟକାଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲୁ। ସୀଦୋନୀୟମାନେ ସେହି ହର୍ମୋଣକୁ ସିରିୟୋନ କହନ୍ତି ଓ ଇମୋରୀୟମାନେ ତାହାକୁ ସନୀର କହନ୍ତି। 10 ଆମ୍ଭେମାନେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲିୟଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।”

11 ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନରାଜା ଓଗ୍ ଅବଶିଷ୍ଟ ରହିଲା। ଓ‌‌ଗ୍‌‌ର ଖଟଟି ଲୁହାରେ ତିଆରି ହୋଇଥିଲା। ଏହାର ଲମ୍ବ ଥିଲା ନଅ ହାତ ଓ ପ୍ରସ୍ଥ ଥିଲା ଗ୍ଭରି ହାତ। ସେହି ଖଟଟି ଏବେ ମଧ୍ୟ ରବ୍ବାରେ ଅଛି ଯେଉଁଠାରେ ଅମ୍ମୋନ ସନ୍ତାନଗଣ ବାସ କରୁଛନ୍ତି।

ଯର୍ଦ୍ଦନ ନଦୀର ପୂର୍ବପଟସ୍ଥ ଭୂମି

12 “ତେଣୁ ଆମ୍ଭେମାନେ ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟରଠାରୁ ସେହି ସମସ୍ତ ଦେଶ ନିଜର କରଗତ କଲୁ, ସେଥିରୁ ମୁଁ ଗିଲିୟଦର ପର୍ବତମୟ ଦେଶର ଅର୍ଦ୍ଧେକ ଓ ତାହାର ନଗରଗୁଡ଼ିକୁ ରୁବେନ୍ ବଂଶକୁ ଓ ଗାଦ୍ ବଂଶକୁ ଦେଲି। 13 ମୁଁ ଗିଲିୟଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ ରାଜ୍ୟ ଅର୍ଥାତ ଓ‌ଗ୍‌ର ରାଜ୍ୟ, ସମୁଦାୟ ବାଶନ ସହିତ ଅର୍ଗୋବର ତାବତ୍ ଅଞ୍ଚଳ ମନଃଶିର ଅର୍ଦ୍ଧ ପରିବାରବର୍ଗ।”

ଯାହାକି ରଫାୟୀୟ ଦେଶ ଭାବେ ଜଣା। 14 ମନଃଶିର ପୁତ୍ର ଯାୟୀର ଗଶ୍ୱରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର (ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସେହି ଅଞ୍ଚଳକୁ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ଯ୍ୟନ୍ତ ବାଶନକୁ ହବୋତ୍-ଯାୟୀର ବୋଲି ଡକାଯାଏ।

15 “ମୁଁ ଗିଲିୟଦ ମାଖୀରକୁ ଦେଲି। 16 ଏବଂ ଗିଲିୟଦଠାରୁ ଅର୍ଣ୍ଣୋନ୍-ଉପତ୍ୟକା ପର୍ଯ୍ୟନ୍ତ ସମସ୍ତ ଭୂମି ଏବଂ ଉପତ୍ୟକାର ମଧ୍ୟସ୍ଥାନ ଓ ତାହାର ସୀମା ସମସ୍ତ ଏବଂ ସେଠାରୁ ଅମ୍ମୋନୀୟମାନଙ୍କର ସୀମା ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ ମୁଁ ରୁବେନ୍ ଓ ଗାଦ୍ ଗୋଷ୍ଠୀକୁ ଦେଲି। 17 ତାହାର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯର୍ଦ୍ଦନ ନଦୀ ମରୁଭୂମି ଥିଲା। ଉତ୍ତରରେ କିନ୍ନେରତ ସମୁଦ୍ରଠାରୁ ଲବଣ ସମୁଦ୍ର ପର୍ଯ୍ୟନ୍ତ ଦକ୍ଷିଣରେ ପି‌ସ୍‌ଗାର ଗଡ଼ାଣିଠାରୁ ପୂର୍ବ ପର୍ଯ୍ୟନ୍ତ।

18 “ସେହି ସମୟରେ ମୁଁ ସେହି ଗୋଷ୍ଠୀୟମାନଙ୍କୁ ନିର୍ଦ୍ଦେଶ ଦେଇ କହିଲି: ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ଯର୍ଦ୍ଦନ କୂଳସ୍ଥ ଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ ବୀର ଗୋଷ୍ଠୀୟମାନେ ସୂସଜ୍ଜ ହୋଇ ତୁମ୍ଭମାନଙ୍କ ଭାଇମାନଙ୍କର ଇସ୍ରାଏଲ-ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ। 19 ତୁମ୍ଭମାନଙ୍କର ସ୍ତ୍ରୀ, ତୁମ୍ଭମାନଙ୍କର ଛୋଟ ପିଲା ଏବଂ ତୁମ୍ଭର ପଶୁମାନେ ଏହିଠାରେ ବାସ କରିବେ। ମୁଁ ତୁମ୍ଭମାନଙ୍କୁ ଯେଉଁ ନଗର ଗୁଡ଼ିକ ଦେଇଛି। ମୁଁ ଜାଣେ ତୁମ୍ଭମାନଙ୍କର ଅନେକ ପଶୁ ଅଛନ୍ତି। 20 କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଇସ୍ରାଏଲୀୟ ଭାତୃଗଣମାନଙ୍କୁ ସାହାଯ୍ୟ କର। ଯେପର୍ଯ୍ୟନ୍ତ ସେମାନେ ସଦାପ୍ରଭୁଙ୍କ ଦତ୍ତ ଯର୍ଦ୍ଦନ ସେପାରିସ୍ଥ ଭୂମିରେ ବାସ କରନ୍ତି। ସେମାନେ ତୁମ୍ଭମାନଙ୍କ ପରି ଭୂମି ପାଇବା ପର୍ଯ୍ୟନ୍ତ, ସେମାନଙ୍କୁ ସାହାଯ୍ୟ କର। ଏହା ପରେ ତୁମ୍ଭେମାନେ ତୁମ୍ଭଙ୍କୁ ଦିଆଯାଇଥିବା ଏହି ନିଜ ନିଜ ଦେଶକୁ ଫେରିଯିବ।’

21 “ଏହା ପରେ ମୁଁ ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲି, ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହି ଦୁଇ ରାଜାଙ୍କ ପାଇଁ ଯାହା କରିଛନ୍ତି ତୁମ୍ଭେ ତାହା ଦେଖିଛ। ତୁମ୍ଭେ ଯେଉଁ ରାଜ୍ୟକୁ ଯାଉଛ ସେମାନଙ୍କ ପାଇଁ ସଦାପ୍ରଭୁ ସେହିପରି କରିବେ। 22 ତୁମ୍ଭେମାନେ ସେମାନଙ୍କୁ ଭୟ କର ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସପକ୍ଷରେ ଯୁଦ୍ଧ କରିବେ।’

ମୋଶାଙ୍କୁ କିଣାନ ଦେଶ ଯିବାକୁ ମନା

23 “ଏହା ପରେ ମୁଁ ସଦାପ୍ରଭୁଙ୍କୁ ଅନୁରୋଧ କଲି। 24 ‘ହେ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏମନ୍ତ ପରମେଶ୍ୱର ଆଉ କିଏ ଅଛି।’ 25 ମୁଁ ବିନତି କରୁଛି, ମୋତେ ସେପାରିକି ଯିବାକୁ ଦିଅ, ଯର୍ଦ୍ଦନର ସେପାରିସ୍ଥ ସେହି ଉତ୍ତମ ଦେଶ, ସେହି ରମଣୀୟ ପର୍ବତ ଓ ଲିବାନୋନ୍ ଦେଖିବାକୁ ଦିଅ।’

26 “ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧ କଲେ ଓ ମୋ’ କଥା ଶୁଣିଲେ ନାହିଁ। ଆଉ ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭର ଯଥେଷ୍ଟ ହେଲାଣି। ଏ ବିଷୟରେ ଆମ୍ଭକୁ ଆଉ କୁହ ନାହିଁ। 27 ପି‌ସ୍‌ଗାର ଶୃଙ୍ଗକୁ ଚଢ଼ିଯାଅ, ଆଉ ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ପୂର୍ବ ଆଡ଼େ ତୁମ୍ଭ ନିଜ ଆଖିରେ ସେହି ଦେଶକୁ ଦେଖ, କାରଣ ତୁମ୍ଭେ କେବେ ଯର୍ଦ୍ଦନ ନଦୀ ପାର ହେବ ନାହିଁ। 28 କିନ୍ତୁ ଯିହୋଶୂୟଙ୍କୁ ଆଜ୍ଞା ଦିଅ, ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ। କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ। ତୁମ୍ଭେମାନେ ଯେଉଁ ଦେଶ ଦେଖିବ। ତାହା ସେ ସେମାନଙ୍କୁ ଅଧିକାର କରାଇବ।’

29 “ଏହିରୂପେ ଆମ୍ଭେମାନେ ବୈ‌‌ତ୍‌‌ପିୟୋର ସମ୍ମୁଖସ୍ଥିତ ଉପତ୍ୟକାରେ ବାସକଲୁ।”