Add parallel Print Page Options

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
    ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
    ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
    ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।

ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
    ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
    ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
    ତାଙ୍କର ମହିମା ଗାନ କର।
ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
    ତେଣୁ ତାଙ୍କର ମହିମା ଗାନ କର।
ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
    ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
    ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
    ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।