Revised Common Lectionary (Semicontinuous)
ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।
34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
2 ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
3 ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
ତାଙ୍କ ନାମର ମହିମା କୀର୍ତ୍ତନ କର।
4 ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
5 ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
6 ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
ଓ ସଦାପ୍ରଭୁ ତାହା ଶୁଣିଲେ
ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
7 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
ସେ ସେମାନଙ୍କୁ ଉଦ୍ଧାର କରନ୍ତି।
8 ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।
19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।
ହିଜକିୟ ଓ ବାବିଲରୁ ଆସିଥିବା ଲୋକମାନେ
12 ସେ ସମୟରେ ବଲ୍ଦନର ପୁତ୍ର ମରୋଦକ୍-ବଲ୍ଦନ୍ ବାବିଲର ରାଜା ଥିଲେ। ସେ ହିଜକିୟ, ନିକଟକୁ ପତ୍ରଗୁଡ଼ିକ ଓ ଉପହାର ପଠାଇଲେ। କାରଣ ସେ ହିଜକିୟଙ୍କ ଅସୁସ୍ଥତା ବିଷୟରେ ଶୁଣିଲେ। 13 ହିଜକିୟ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ଦେଲେ ଓ ତାଙ୍କ ଗୃହରେ ଥିବା ସମୁଦାୟ ମୂଲ୍ୟବାନ୍ ପଦାର୍ଥଗୁଡ଼ିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାରରେ ଥିବା ତାଙ୍କର ସମସ୍ତ ଦ୍ରବ୍ୟ ଦେଖାଇଲେ, ଯାହା ହିଜକିୟ ତାଙ୍କ ଗୃହରେ ଓ ସମଗ୍ର ରାଜ୍ୟରେ ଏପରି ଜିନିଷ ନ ଥିଲା।
14 ତା’ପରେ ଭବିଷ୍ୟଦ୍ବକ୍ତା ଯିଶାଇୟ ରାଜା ହିଜକିୟଙ୍କ ନିକଟକୁ ଆସି ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?”
ହିଜକିୟ କହିଲେ “ସେମାନେ ଦୂର ଦେଶ ବାବିଲରୁ ଆସିଛନ୍ତି।”
15 ତହୁଁ ଯିଶାଇୟ କହିଲେ, “ତୁମ୍ଭେ ସେମାନଙ୍କୁ କ’ଣ ସବୁ ଦେଖାଇଲ?”
ହିଜକିୟ ଉତ୍ତର କଲେ, “ସେମାନେ ମୋ’ ଗୃହରେ ଥିବା ସମସ୍ତ ଜିନିଷ ଦେଖିଛନ୍ତି। ମୋ’ ଭଣ୍ତାରରେ ଏପରି କିଛି ଜିନିଷ ନାହିଁ, ଯାହାକୁ ସେମାନେ ଦେଖି ନାହାନ୍ତି।”
16 ତା’ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ଶୁଣ। 17 ସମୟ ଆସୁଛି ତୁମ୍ଭ ଗୃହରେ ଥିବା ସମସ୍ତ ଦ୍ରବ୍ୟ ଓ ଏ ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆଯିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡ଼ା ଯିବ ନାହିଁ। 18 ତୁମ୍ଭଠାରୁ ଜନ୍ମ ହୋଇଥିବା ପୁତ୍ରମାନଙ୍କୁ ବାବିଲନୀୟମାନେ ନେଇଯିବେ ଓ ବାବିଲ ରାଜାର ଅଟ୍ଟାଳିକାରେ ସେମାନେ ନପୁଂସକ ହୋଇ ରହିବେ।”
19 ତା’ପରେ ହିଜକିୟ ଯିଶାଇୟକୁ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ୟ କହିଲ, ତାହା ଅତି ଉତ୍ତମ।” ଆଉ ମଧ୍ୟ ହିଜକିୟ କହିଲେ, “ମୋ’ ଜୀବନକାଳରେ ସତ୍ୟର ଶାନ୍ତି ବିରାଜିତ ହେବ। ଏହା ଅତି ଉତ୍ତମ କଥା।”
ଯାଜକ ମଲ୍କୀଷେଦକ
7 ମଲ୍କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମଲ୍କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 2 ଯୁଦ୍ଧରେ ଜିତି ଅବ୍ରହାମ ଯାହା ପାଇଥିଲେ ତା’ର ଏକ ଦଶମାଂସ ସେ ମଲ୍କୀଷେଦକଙ୍କୁ ଦେଲେ।
ମଲ୍କୀଷେଦକ ନାମର ଅର୍ଥ: ପ୍ରଥମଟି ହେଉଛି “ଧର୍ମରାଜା” ଓ ଦ୍ୱିତୀୟଟି ହେଲା “ଶାଲେମର ରାଜା” ଅର୍ଥାତ୍ “ଶାନ୍ତିର ରାଜା”। 3 କେହିହେଲେ ମଲ୍କୀଷେଦକଙ୍କ ପିତା କି ମାତାଙ୍କ ବିଷୟରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କେବେ ଜନ୍ମଗ୍ରହଣ କଲେ, ଓ କେବେ ମଲେ ତା’ମଧ୍ୟ କେହି ଜାଣନ୍ତି ନାହିଁ। ମଲ୍କୀଷେଦକ ପରମେଶ୍ୱରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହୋଇ ରହିଛନ୍ତି।
4 ମଲ୍କୀଷେଦକ କେତେ ମହାନ୍ ବ୍ୟକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ଯୁଦ୍ଧରେ ଯାହାକିଛି ଜିତି ଥିଲେ ତା’ର ଏକ ଦଶମାଂଶ ମଲ୍କୀଷେଦକଙ୍କୁ ଦେଲେ। 5 ବ୍ୟବସ୍ଥା ଅନୁସାରେ ଲେବୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜଲୋକ ଯିହୂଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି। 6 ମଲ୍କୀଷେଦକ ଲେବୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ। 7 ସମସ୍ତେ ଜାଣନ୍ତି ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
8 ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସେମାନେ ସାଧାରଣ ମନୁଷ୍ୟ ପରି ବଞ୍ଚି ପରିଶେଷରେ ମୃତ୍ୟୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷେଦକ ଶାସ୍ତ୍ର ଅନୁସାରେ ଏବେ ମଧ୍ୟ ଜୀବିତ। 9 ଲେବୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତେବେଳେ ଅବ୍ରହାମ ମଲ୍କୀଷେଦକଙ୍କୁ ଦଶମାଂଶ ଦେଲେ, ତା’ର ଅର୍ଥ ଲେବୀ ମଧ୍ୟ ତାହା ଦେଲେ। 10 ଲେବୀ ସେ ପର୍ଯ୍ୟନ୍ତ ଜନ୍ମ ନ ହୋଇଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷେଦକଙ୍କୁ ଭେଟିବା ସମୟରେ ଲେବୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀରରେ ଥିଲେ।
2010 by World Bible Translation Center