Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।
39 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି।
ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ।
ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି,
ମୁଁ ମୋର ମୁଖକୁ ବନ୍ଦ ରଖିବି।”
2 ତେଣୁ ମୁଁ କିଛି କହିଲି ନାହିଁ।
ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ।
କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି।
3 ମୁଁ ଅତି କ୍ରୋଧିତ ଥିଲି।
ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି।
ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି।
4 ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ?
ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି?
ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ।
ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ।
ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ।
6 ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ।
ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ।
କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।
7 ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି?
ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା।
8 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର।
ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ।
9 ମୁଁ ମୋର ପାଟି ଖୋଲି ନାହିଁ।
ମୁଁ କିଛି କହି ନାହିଁ।
ହେ ସଦାପ୍ରଭୁ ତୁମ୍ଭେ ଯାହା କରିବା କଥା ତାହା କରିଛ।
10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ।
ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ।
ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର।
ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ।
12 ହେ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ।
ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି।
ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ
ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।
ଇଲୀହୂ ଆଲୋଚନାରେ ଭାଗ ନେଲା
32 ଏହା ପରେ ଆୟୁବର ତିନି ବନ୍ଧୁ ଉତ୍ତର ଦେବାକୁ କ୍ଷାନ୍ତ ହେଲେ। କାରଣ ସେମାନେ ଦେଖିଲେ, ଆୟୁବ ନିଜ ଆଖିରେ ଧାର୍ମିକ ଅଟେ। 2 କିନ୍ତୁ ସେଠାରେ ଜଣେ ଯୁବକ ଇଲୀହୂ ଉପସ୍ଥିତ ଥିଲା। ସେ ବାରେଖଲର ପୁଅ ଥିଲା। ବାରେଖଲ ବୂଷୀୟ ନାମକ ଜଣେ ବ୍ୟକ୍ତିର ବଂଶଧର ଥିଲା। ଇଲୀହୂ ରାମ୍ ପରିବାରର ଲୋକ ଥିଲା। ଇଲୀହୂ ଆୟୁବ ଉପରେ ରାଗ କରିଥିଲା। କାରଣ ଆୟୁବ ନିଜେ ଠିକ୍ ବୋଲି ଘୋଷଣା କରୁଥିଲା। ଆୟୁବ କହୁଥିଲା ସେ ଠିକ୍ ଏବଂ ପରମେଶ୍ୱର ଭୁଲ୍। 3 ଇଲୀହୂ ମଧ୍ୟ ଆୟୁବର ତିନି ବନ୍ଧୁ ଉପରେ ରାଗି ଥିଲା। କାରଣ ଆୟୁବର ତିନିବନ୍ଧୁ ଆୟୁବର ଯୁକ୍ତିର ଉତ୍ତର ଦେଇପାରିଲେ ନାହିଁ। ତଥାପି ସେମାନେ ଆୟୁବକୁ ଦୋଷ ଦେଲେ। 4 ଇଲୀହୂ ସେଠାରେ ସବୁଠାରୁ ସାନ ଥିଲା। ସେ ମଧ୍ୟ ସବୁ କଥା ଶୁଣିସାରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ତା’ପରେ ସେ ଭାବିଲା ସେ ବର୍ତ୍ତମାନ ଆୟୁବ ସହିତ କଥା କହିପାରିବ। 5 କିନ୍ତୁ ତା’ପରେ ଇଲୀହୂ ଦେଖିଲା ଆୟୁବର ତିନୋଟି ସାଙ୍ଗଙ୍କର ଅଧିକ କିଛି କହିବାର ନାହିଁ। ତେଣୁ ସେ ରାଗିଗଲା। 6 ତା’ପରେ ଇଲୀହୂ କହିବାକୁ ଆରମ୍ଭ କଲା। ସେ କହିଲା,
“ମୁଁ ଜଣେ ଯୁବକ ମାତ୍ର ଏବଂ ଆପଣମାନେ ବୟସ୍କ ଲୋକ।
ସେଥିପାଇଁ ମୁଁ ଯାହା ଚିନ୍ତା କରୁଛି ତାହା ଆପଣଙ୍କୁ କହିବାକୁ ଭୟ କରୁଛି।
7 ମୁଁ ନିଜେ ଚିନ୍ତା କରୁଥିଲି, ‘ବୟସ୍କ ଲୋକମାନେ ପ୍ରଥମେ କହିବା ଉଚିତ୍।
ସେମାନେ ଅନେକ ଦିନ ହେଲା ବଞ୍ଚିଛନ୍ତି।
ସେମାନେ ଅନେକ କଥା ଶିଖିଛନ୍ତି।’
8 କିନ୍ତୁ ମଣିଷ ଭିତରେ ଏକ ଆତ୍ମା ଅଛି ଏବଂ ଏହା ସର୍ବଶକ୍ତିମାନଙ୍କର ନିଶ୍ୱାସ
ଯାହା ସେମାନଙ୍କୁ ସମସ୍ତ ବୁଝାମଣା ଦେଇଥାଏ।
9 ବୟସ୍କ ଲୋକମାନେ କେବଳ ଜ୍ଞାନୀ ନୁହନ୍ତି,
ଏହା ନୁହେଁ ଯେ କେବଳ ବୃଦ୍ଧ ଲୋକମାନେ ଠିକ୍ ବୁଝନ୍ତି।
10 “ତେଣୁ ଦୟାକରି ମୋ’ କଥା ଶୁଣନ୍ତୁ।
ଏବଂ ମୁଁ କ’ଣ ଭାବୁଛି ତାହା କହିବି।
11 ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ଧୈର୍ଯ୍ୟର ସହ ଶୁଣିଲି।
ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।
12 ଆପଣ ଯେଉଁ ଜିନିଷ କହିଲେ ତାହା ସାବଧାନ ହୋଇ ଶୁଣିଲି।
ଆପଣମାନଙ୍କ ମଧ୍ୟରୁ ଜଣେ କେହି ଆୟୁବଙ୍କୁ ଭୁଲ୍ ବୋଲି ପ୍ରମାଣ କରି ପାରିଲା ନାହିଁ,
କିମ୍ବା ତାଙ୍କର ଯୁକ୍ତିର ଉତ୍ତର ଦେଇପାରିଲ ନାହିଁ।
13 ଆପଣ ତିନି ଜଣ କହିପାରିବେ ନାହିଁ ଯେ ଆପଣମାନେ ଜ୍ଞାନ ଲାଭ କରିଅଛନ୍ତି।
ଆୟୁବର ଯୁକ୍ତିର ଉତ୍ତର ପରମେଶ୍ୱର ନିଶ୍ଚୟ ଦେବା ଉଚିତ୍, ଲୋକମାନେ ନୁହନ୍ତି।
14 ଆୟୁବ ତାଙ୍କ ଯୁକ୍ତି ମୋ’ ଆଗରେ ଉପସ୍ଥାପିତ କରି ନାହାନ୍ତି।
ଆପଣ ତିନି ଜଣ ବ୍ୟବହାର କରିଥିବା ଯୁକ୍ତିକୁ ମୁଁ ବ୍ୟବହାର କରିବି ନାହିଁ।
15 “ଆୟୁବ, ଏହି ଲୋକମାନେ ଯୁକ୍ତିରେ ହାରିଗଲେ।
ସେମାନଙ୍କର ଅଧିକ କିଛି କହିବାର ନାହିଁ।
ସେମାନଙ୍କର କୌଣସି ଅତିରିକ୍ତ ଉତ୍ତର ମଧ୍ୟ ନାହିଁ।
16 ଆୟୁବ ଏହି ଲୋକମାନଙ୍କର ଉତ୍ତରକୁ ମୁଁ ଅପେକ୍ଷା କଲି
କିନ୍ତୁ ବର୍ତ୍ତମାନ ସେମାନେ ନୀରବ।
ସେମାନେ ତୁମ୍ଭସହ ଯୁକ୍ତି କରିବା ବନ୍ଦ କରି ଦେଇଛନ୍ତି।
17 ସେଥିପାଇଁ ମୁଁ ବର୍ତ୍ତମାନ ମୋର ଉତ୍ତର ଦେବି।
ହଁ, ମୁଁ ଯାହା ଚିନ୍ତା କରୁଛି ମୁଁ କହିବି।
18 ମୋର ବହୁତ କିଛି କହିବାର ଅଛି ଯେ,
ମୁଁ ପ୍ରାୟତଃ ବିସ୍ଫୋରଣ କରିଯିବି।
19 ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ଯ୍ୟନ୍ତ ଖୋଲା ଯାଇ ନାହିଁ।
ମୁଁ ଏକ ନୂଆ ମଦ୍ୟ କୁମ୍ଫା ପରି ଯାହା ଫାଟିଯିବା ପାଇଁ ପ୍ରସ୍ତୁତ।
20 ତେଣୁ ମୁଁ ନିଶ୍ଚୟ କହିବି।
ତା’ପରେ ମୁଁ ବିଶ୍ୱାସ ଅନୁଭବ କରିବି।
ଆୟୁବର ଯୁକ୍ତିର ମୁଁ ଉତ୍ତର ଦେବି ଓ ନିଶ୍ଚୟ କହିବି।
21 ଅନ୍ୟ ବ୍ୟକ୍ତିମାନଙ୍କୁ ମୁଁ ଯେଭଳି ବ୍ୟବହାର କରେ, ଆୟୁବ ସହିତ ମୁଁ ସେଭଳି ବ୍ୟବହାର କରିବି।
ତା’ର ମନଲାଖି କଥା କହିବା ପାଇଁ ମୁଁ ଚେଷ୍ଟା କରିବି ନାହିଁ।
ଯାହା ଉଚିତ୍ ତାହା ମୁଁ କହିବି।
22 ଗୋଟିଏ ବ୍ୟକ୍ତିଠାରୁ ଆଉ ଗୋଟିଏ ବ୍ୟକ୍ତିକୁ ଅଧିକ ଭଲ ବ୍ୟବହାର କରି ପାରିବି ନାହିଁ।
ଯଦି ମୁଁ କରେ ପରମେଶ୍ୱର ମୋତେ ଦଣ୍ଡ ଦେବେ।
ଧନୀ ଲୋକ ଓ ଲାଜାର
19 ଯୀଶୁ କହିଲେ, “ଥରେ ଜଣେ ଧନୀଲୋକ ସଦାବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସମ୍ପୂର୍ଣ୍ଣ ଭୋଜି ଦେବାକୁ ସକ୍ଷମ ଥିଲା। 20 ଲାଜାର ନାମରେ ଜଣେ ଅତି ଗରିବ ଲୋକ ଥିଲା। ତା’ ଦେହ ଘା’ରେ ଭରି ଯାଇଥିଲା। ଲାଜାର ପ୍ରାୟ ସବୁ ସମୟରେ ଧନୀଲୋକଙ୍କ ଫାଟକ ପାଖରେ ପଡ଼ି ରହୁଥିଲା। 21 ଧନୀଲୋକ ଖାଇସାରିବା ପରେ ଯାହା ଛାଡ଼ି ଦିଏ ସେହି ଅଇଁଠା ଅଂଶତକ ଖାଇବାକୁ ଗ୍ଭହୁଁଥିଲା। କୁକୁରମାନେ ଆସି ତା’ର ଘାଆକୁ ଗ୍ଭଟୁଥିଲେ।
22 “ପରେ ଲାଜାର ମରିଗଲା। ସ୍ୱର୍ଗଦୂତମାନେ ତାହାକୁ ନେଇଯାଇ ଅବ୍ରହାମଙ୍କ କୋଳରେ ରଖିଲେ। ଧନୀ ଲୋକ ଜଣକ ମଧ୍ୟ ମରିଗଲା ଓ ତାହାକୁ କବର ଦିଆଗଲା। 23 ତାହାକୁ ନର୍କକୁ ପଠାଇ ଦିଆଗଲା। ସେଠାରେ ସେ ବହୁତ ଯନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂରରେ ଦେଖିଲା। 24 ସେ ଡାକିଲା, ‘ପିତା ଅବ୍ରହାମ, ମୋତେ ଦୟା କର। ମୋ’ ପାଖକୁ ଲାଜାରକୁ ପଠାଅ। ସେ ତା’ ଅଙ୍ଗୁଳି ଟିପକୁ ପାଣିରେ ବୁଡ଼େଇ ମୋ’ ଜିଭରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁରେ ବହୁତ ଯନ୍ତ୍ରଣା ଭୋଗ କରୁଛି।’
25 “କିନ୍ତୁ ଅବ୍ରହାମ କହିଲେ, ‘ପୁଅ, ତୁ ଯେତେବେଳେ ବଞ୍ଚିଥିଲୁ, ସେତେବେଳେ କଥା ଟିକିଏ ମନେ ପକା। ତୁ ଜୀବନରେ ସମସ୍ତ ବିଷୟ ପାଇଛୁ। କିନ୍ତୁ ଲାଜାର ପାଇଁ ସମସ୍ତ ଖରାପ ଜିନିଷ ଘଟିଛି। ଏବେ ସେ ଆରାମରେ ଅଛି ଓ ତୁ ଯନ୍ତ୍ରଣା ଭୋଗୁଛୁ। 26 ତା’ ଛଡ଼ା ତୋର ଓ ଆମ୍ଭ ମଝିରେ ଗୋଟିଏ ବଡ଼ ଖାତ ଅଛି। ତୋତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇ ଯାଇ ପାରିବେ ନାହିଁ।’ ଏବଂ ସେହି ସ୍ଥାନ ଛାଡ଼ି କେହି ଏଠାକୁ ଆସି ପାରିବେ ନାହିଁ।
27 “ଧନୀ ଲୋକ ଜଣକ କହିଲେ, ‘ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାଅ। 28 ମୋର ପାଞ୍ଚ ଜଣ ଭାଇ ଅଛନ୍ତି। ଲାଜାର ମୋର ଭାଇମାନଙ୍କୁ ସତର୍କ କରାଇ ଦେବ। ତା’ହେଲେ ସେମାନେ ଏ ଯନ୍ତ୍ରଣା ଭୋଗ କରିବା ସ୍ଥାନକୁ ଆସିବେ ନାହିଁ।’
29 “କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ପାଖରେ ମୋଶାଙ୍କ ନିୟମ ଓ ଭବିଷ୍ୟଦ୍ବକ୍ତାମାନଙ୍କ ଲେଖା ସବୁ ପଢ଼ିବା ପାଇଁ ରହିଛି। ସେମାନେ ସେଥିରୁ ଶିକ୍ଷା ଲାଭ କରନ୍ତୁ।’
30 ଧନୀ ଲୋକଟି କହିଲା, ‘ନା, ପିତା ଅବ୍ରହାମ! ଯଦି ମରି ଯାଇଥିବା ଲୋକମାନଙ୍କ ଭିତରୁ କେହି ଜଣେ ତାହାଙ୍କ ପାଖକୁ ଯାଏ, ତେବେ ସେମାନେ ବିଶ୍ୱାସ କରିବେ ଓ ସେମାନଙ୍କର ହୃଦୟ ଓ ଜୀବନକୁ ପରିବର୍ତ୍ତନ କରିବେ।’
31 “କିନ୍ତୁ ଅବ୍ରହାମ ତାହାକୁ କହିଲେ, ‘ନା, ଯଦି ତୁମ୍ଭ ଭାଇମାନେ ମୋଶା ଓ ଭବିଷ୍ୟଦ୍ବକ୍ତାଙ୍କ କଥା ଶୁଣିବେ ନାହିଁ, ତେବେ ସେମାନେ ମୃତ୍ୟୁରୁ ଫେରି ଆସି ଥିବା କୌଣସି ଲୋକଙ୍କ କଥା ମଧ୍ୟ ଶୁଣିବେ ନାହିଁ।’”
2010 by World Bible Translation Center