Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି।
4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି।
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ।
9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
ମର୍ଦ୍ଦଖୟ ଏଷ୍ଟରଙ୍କୁ ସାହାଯ୍ୟ କରିବାକୁ ଗୁହାରି କଲେ
4 ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା। 2 ସେ ରାଜଦ୍ୱାର ସମ୍ମୁଖ ପର୍ଯ୍ୟନ୍ତ ଆସିଲା। ମାତ୍ର ଶୋକ ବସ୍ତ୍ର ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରି ପାରିଲା ନାହିଁ। 3 ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିୟମ ପତ୍ର ଗଲା, ସେହିସବୁ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
4 ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ମର୍ଦ୍ଦଖୟ ବିଷୟରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ବିଚଳିତ ହୋଇଗଲେ। ପୁଣି ମର୍ଦ୍ଦଖୟଠାରୁ ଅଖା କାଡ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ। 5 ଏଥିପାଇଁ ରାଜାଙ୍କ ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କ’ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। 6 ତା’ପରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକ ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲା। 7 ଏବଂ ମର୍ଦ୍ଦଖୟ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା। 8 ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନରେ ଦେଇଥିଲା, ତହିଁର ଏକ କପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାହାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା।
9 ତେଣୁ ହଥକ୍ ଆସି ମର୍ଦ୍ଦଖୟର କଥା ଏଷ୍ଟରକୁ ଜଣାଇଲା।
10 ଏହା ପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ଆଜ୍ଞା କଲା। 11 “ବିନା ରାଜା ଡାକରାରେ ପୁରୁଷ ଓ ସ୍ତ୍ରୀ ଯେକେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ତ ଦେବାର ଏକମାତ୍ର ବ୍ୟବସ୍ଥା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ତ ବଢ଼ାନ୍ତି, ସେହି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ୍ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇ ନାହିଁ।”
12-13 ସେମାନେ ଏଷ୍ଟରର ଏହିକଥା ମର୍ଦ୍ଦଖୟକୁ କହିଲେ। ତେଣୁ ମର୍ଦ୍ଦଖୟ ଏଷ୍ଟରକୁ, ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, “ସବୁ ଯିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜ ଗୃହରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ। 14 ଯଦି ତୁମ୍ଭେ ଏହି ସମୟରେ ନୀରବ ହୋଇ ରୁହ, ତେବେ ଅନ୍ୟ ଏକ ସ୍ଥାନରୁ ଯିହୁଦୀୟମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହେବ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀୟ ସ୍ଥାନ ପାଇପାର?”
15-16 ଏହା ପରେ ଏଷ୍ଟର ମର୍ଦ୍ଦଖୟ ନିକଟକୁ ଉତ୍ତର ପଠାଇଲା, “ତୁମ୍ଭେ ଯାଇ ଶୂଶନରେ ଉପସ୍ଥିତ ସମସ୍ତ ଯିହୁଦୀମାନଙ୍କୁ ଏକତ୍ର କରି ମୋ’ ଲାଗି ଉପବାସ କର। ପୁଣି ତିନି ଦିନ ଯାଏ, ଦିନରେ କି ରାତ୍ରିରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ। ମୁଁ ଓ ମୋର ଦାସୀଗଣ ସେହିପରି ଉପବାସ କରିବୁ, ତହୁଁ ବ୍ୟବସ୍ଥାନୁଯାୟୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ସେଥିରେ ମଲେ ପଛେ ମରିବି।”
17 ତେଣୁ ମର୍ଦ୍ଦଖୟ ଗଲେ, ସେ ଏଷ୍ଟରଙ୍କ କହିବା ଅନୁଯାୟୀ କାର୍ଯ୍ୟ କଲେ।
ଯୀଶୁଙ୍କ ଜୀବନ୍ତ ଭରସା
3 ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। 4 ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।
5 ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। 6 ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। 7 ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।
8 ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। 9 ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।
2010 by World Bible Translation Center