Revised Common Lectionary (Semicontinuous)
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
ସେ (ପୁ) ଏବଂ ତାଙ୍କର ଅନୁଢ଼ା କନ୍ୟା
6 ସିଏ କିଏ ଅଟେ,
ଯେଉଁ ସ୍ତ୍ରୀଲୋକ ଧୂମ୍ର ସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଆସୁଅଛି?
ଗନ୍ଧରସ ଓ କୁନ୍ଦୁରୁରେ,
ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତା ହୋଇ।
7 ଦେଖ, ତାହା ଶଲୋମନଙ୍କର ଘୋଡ଼ା ଗାଡ଼ି।
ସେଠାରେ ଷାଠିଏ ଜଣ ଇସ୍ରାଏଲୀୟ ରଥକୁ ଘେରି ଅଛନ୍ତି।
8 ସେ ସମସ୍ତେ ଖଡ଼୍ଗଧାରି ଓ ଯୁଦ୍ଧରେ ନିପୁଣ।
ରାତ୍ରିକାଳରେ ଆଶଙ୍କା ହେତୁ।
ପ୍ରତ୍ୟେକର କଟି ଦେଶରେ ସ୍ୱ ସ୍ୱ ଖଡ଼୍ଗ ବନ୍ଧା ଥାଏ।
9 ଶଲୋମନ ରାଜା ଆପଣା ପାଇଁ ଲିବାନୋନ୍ର
କାଠର ଏକ ପାଲିଙ୍କି ନିର୍ମାଣ କଲେ।
10 ସେ ତହିଁରେ ସ୍ତମ୍ଭସବୁ ରୂପାର,
ତହିଁର ତଳଭାଗ ସୁବର୍ଣ୍ଣର ଓ ତହିଁର ଆସନ ବାଇଗଣି ରଙ୍ଗର
ଏବଂ ତହିଁର ଭିତର ପାଖଗୁଡ଼ିକ,
ପ୍ରେମ ନିମନ୍ତେ ଯିରୁଶାଲମର ଚତୁର୍ପାର୍ଶ୍ୱର ଗ୍ରାମଗୁଡ଼ିକ ସାମଗ୍ରୀ ଦ୍ୱାରା ସଜ୍ଜିତ ହୋଇଥିଲା।
11 ଆଗୋ ସିୟୋନର କନ୍ୟାଗଣ,
ତୁମ୍ଭେମାନେ ବାହାରେ ଯାଇ
ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ।
ତାହାଙ୍କ ବିବାହ ଦିନରେ ଓ ତାହାଙ୍କ ମନର ଆନନ୍ଦ ଦିନରେ
ତାହାଙ୍କ ମାତା ତାହାଙ୍କୁ ସେହି ମୁକୁଟ ପିନ୍ଧାଇ ଅଛନ୍ତି
ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ
6 ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ। 7 ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର। 8 ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ। 9 ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍। 10 ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।
11 ଏହି କଥାଗୁଡ଼ିକ ଶିକ୍ଷା ଦିଅ। 12 ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।
13 ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ। 14 ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟଦ୍ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା। 15 ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି। 16 ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା’ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ।
2010 by World Bible Translation Center