Add parallel Print Page Options

Water From the Rock

17 ଇସ୍ରାଏଲର ସମସ୍ତ ସମାଜ ଏକତ୍ରିତ ହୋଇ ସୀନୟ ମରୁଭୂମିରୁ ଯାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସେମାନେ ରଫୀଦୀମରେ ଛାଉଣି ସ୍ଥପନ କଲେ ଏବଂ ସେଠାରେ ଲୋକମାନଙ୍କ ପାଇଁ ପିଇବା ପାଣି ନ ଥିଲା। ତେଣୁ ଲୋକମାନେ ମୋଶାଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ। “ଆମ୍ଭକୁ ପିଇବାକୁ ପାଣି ଦିଅ।”

ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ କାହିଁକି କଳି କରୁଛ? ତୁମ୍ଭେମାନେ ସଦାପ୍ରଭୁଙ୍କୁ କାହିଁକି ପରୀକ୍ଷା କରୁଛ?”

କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୃଷାର୍ତ୍ତ ଥିଲେ। ତେଣୁ ସେମାନେ ମୋଶାଙ୍କୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ’ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠାରେ ମରିବା ପାଇଁ?”

ତେଣୁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, “ମୁଁ ଏହି ଲୋକମାନଙ୍କ ପାଇଁ କ’ଣ କରିବି? ସେମାନେ ମୋତେ ପଥର ମାରି ହତ୍ୟା କରିବାକୁ ପ୍ରସ୍ତୁତ।”

ସଦାପ୍ରଭୁ, ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯାଅ। କେତେକ ଇସ୍ରାଏଲୀୟ ପ୍ରାଚୀନବର୍ଗଙ୍କୁ ତୁମ୍ଭ ସହିତ ନିଅ। ତୁମ୍ଭର ଆଶାବାଡ଼ି ମଧ୍ୟ ତୁମ୍ଭ ସହିତ ନିଅ। ସେହି ଆଶାବାଡ଼ି ନିଅ ଯେଉଁଥିରେ ତୁମ୍ଭେ ନୀଳନଦୀକୁ ଆଘାତ କରିଥିଲ। ମୁଁ ତୁମ୍ଭ ସମ୍ମୁଖରେ ହୋରେବରେ ସେହି ଶୈଳ ଉପରେ ଠିଆ ହେବି। ସେହି ଶୈଳକୁ ଆଘାତ କଲେ ସେଥିରୁ ପାଣି ବାହାରି ଆସିବ ଏବଂ ଲୋକମାନେ ଜଳପାନ କରି ପାରିବେ।”

ଇସ୍ରାଏଲର ପ୍ରାଚୀନବର୍ଗଙ୍କ ସମ୍ମୁଖରେ ମୋଶା ସେହିପରି କଲେ। ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?

War With the Amalekites

ରଫୀଦୀମରେ ଅମାଲେକୀୟମାନେ ଆସିଲେ ଓ ଇସ୍ରାଏଲୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ତେଣୁ ମୋଶା ଯିହୋଶୂୟଙ୍କୁ କହିଲେ, “ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କେତେକ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହୋଇ ତାହା ଦେଖିବି। ପରମେଶ୍ୱରଙ୍କ ଆଶାବାଡ଼ିଟିକୁ ମୋ’ ସହିତ ନେଇଯିବି।”

10 ଯିହୋଶୂୟ ମୋଶାଙ୍କର କଥାମାନି ତା’ ପରଦିନ ଅମାଲେକୀୟମାନଙ୍କ ସହ ଯୁଦ୍ଧ ପାଇଁ ଗଲେ। ସେହି ସମୟରେ ମୋଶା, ହାରୋଣ ଓ ହୂର ପର୍ବତ ଉପରକୁ ଗଲେ। 11 ଯେତେବେଳେ ମୋଶା ତାଙ୍କର ହସ୍ତ ଉପରକୁ କଲେ ସେତେବେଳେ ଇସ୍ରାଏଲୀୟ ବିଜୟ ହେଲେ ଓ ଯେତେବେଳେ ମୋଶା ତାଙ୍କର ହାତ ତଳକୁ ରଖିଲେ, ସେତେବେଳେ ଇସ୍ରାଏଲୀୟମାନେ ପରାସ୍ତ ହେଲେ।”

12 କିଛି ସମୟ ପରେ, ଯେହେତୁ ମୋଶାଙ୍କର ହାତ କ୍ଳାନ୍ତ ହୋଇଗଲା ତେଣୁ ସେମାନେ ଏକ ବିରାଟ ପଥର ଖଣ୍ଡ ଆଣି ମୋଶାଙ୍କ ଆଗରେ ପକାଇଲେ ସେ ବସିବା ପାଇଁ। ଏହା ପରେ ହାରୋଣ ଓ ହୂର ମୋଶାଙ୍କର ହାତକୁ ଉପରକୁ ଟେକି ଧରିଲେ। ହାରୋଣ ଗୋଟିଏ ପାର୍ଶ୍ୱରେ ଓ ହୂର ଅନ୍ୟ ଏକ ପାର୍ଶ୍ୱରେ ରହିଲା। ସେମାନେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ। 13 ତେଣୁ ଯିହୋଶୂୟ ଏବଂ ତାଙ୍କର ଲୋକମାନେ ଅମାଲେକୀୟମାନଙ୍କୁ ସେହି ଯୁଦ୍ଧରେ ପରାସ୍ତ କଲେ।

14 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଯୁଦ୍ଧର ବିବରଣୀ ଲେଖ। ଏହିକଥା ଏକ ପୁସ୍ତକରେ ଲେଖ। ଯାହାଫଳରେ ଲୋକମାନେ ମନେରଖି ପାରିବେ ଏଠାରେ ଯାହାସବୁ ଘଟିଥିଲା। ଏବଂ ଯିହୋଶୂୟଙ୍କ ପାଖରେ ସେହି ପୁସ୍ତକ ପଢ଼। ମୁଁ ସମ୍ପୂର୍ଣ୍ଣଭାବରେ ଅମାଲେକୀୟମାନଙ୍କୁ ଏହି ପୃଥିବୀରୁ ଧ୍ୱଂସ କରିବି।”

15 ଏହା ପରେ ମୋଶା ଏକ ଯଜ୍ଞବେଦି ସ୍ଥାପନ କଲେ। ମୋଶା ଏହାର ନାମ ଦେଲେ, ଯିହୋବାଃ-ନିଃଷି “ସଦାପ୍ରଭୁ ମୋର ଧ୍ୱଜା ରଖିଲେ।” 16 ମୋଶା କହିଲେ, “ମୁଁ ସଦାପ୍ରଭୁଙ୍କର ସିଂହାସନ ଆଡ଼କୁ ହାତ ଉଠାଇଲି, ତେଣୁ ସଦାପ୍ରଭୁ ଅମାଲେକ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେ ସର୍ବଦା କରିଥିଲେ।”