Add parallel Print Page Options

ଅନନ୍ତର କିରିୟଥ-ଯିୟାରୀମୀୟ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନେଇଗଲେ। ସେମାନେ ପର୍ବତସ୍ଥିତ ଅବୀନାଦବର ଗୃହକୁ ତାହା ଆଣିଲେ। ସଦାପ୍ରଭୁଙ୍କ ସିନ୍ଦୁକ ଜଗିବାକୁ ତା’ର ପୁତ୍ର ଇଲିୟାସରକୁ ବିଶେଷ ଉତ୍ସବ ମାଧ୍ୟମରେ ପବିତ୍ର କଲେ। ସଦାପ୍ରଭୁଙ୍କ ସିନ୍ଦୁକ କିରିୟଥ୍-ଯିୟାରୀମରେ କୋଡ଼ିଏ ବର୍ଷ ରହିଲା।

ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ରକ୍ଷା କଲେ

ଇସ୍ରାଏଲର ସମସ୍ତ ଲୋକମାନେ ପୁନର୍ବାର ସଦାପ୍ରଭୁଙ୍କୁ ଅନୁସରଣ କରିବା ଆରମ୍ଭ କଲେ। ତା’ପରେ ଶାମୁୟେଲ ଇସ୍ରାଏଲୀୟମାନଙ୍କୁ କହିଲେ, “ପ୍ରକୃତରେ ତୁମ୍ଭେମାନେ ଯଦି ହୃଦୟର ସହିତ ସଦାପ୍ରଭୁଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିଛ, ତେବେ ତୁମ୍ଭେମାନେ ବିଦେଶୀ ପ୍ରତିମାଗୁଡ଼ିକୁ ଓ ଅଷ୍ଟାରୋତ ପ୍ରତିମା ଫିଙ୍ଗିଦିଅ। ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସମର୍ପଣ କର ଓ କେବଳ ତାଙ୍କୁ ହିଁ ସେବା କର। ସଦାପ୍ରଭୁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କଠାରୁ ରକ୍ଷା କରିବେ।”

ଇସ୍ରାଏଲୀୟମାନେ ସେମାନଙ୍କର ବାଲ୍ ଓ ଅଷ୍ଟାରୋତ ପ୍ରତିମୂର୍ତ୍ତିକୁ ଫିଙ୍ଗି ଦେଲେ। ସେମାନେ କେବଳ ସଦାପ୍ରଭୁଙ୍କର ସେବା କଲେ।

ଶାମୁୟେଲ କହିଲେ, “ଇସ୍ରାଏଲୀୟମାନେ ତୁମ୍ଭେମାନେ ସମସ୍ତେ ମି‌ସ୍‌ପୀରେ ମିଳିତ ହୁଅ। ମୁଁ ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି।”

ଇସ୍ରାଏଲୀୟମାନେ ମି‌ସ୍‌ପୀରେ ମିଳିତ ହେଲେ ଏବଂ ପାଣି ଆଣିଲେ ଏବଂ ସଦାପ୍ରଭୁଙ୍କ ଆଗରେ ତାହା ଢାଳିଲେ। ସେମାନେ ସେହି ଦିନ ଉପବାସ ପାଳନ କଲେ। ସେମାନେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।” ଶାମୁୟେଲ ମି‌ସ୍‌ପୀରେ ଇସ୍ରାଏଲୀୟମାନଙ୍କର ବିଗ୍ଭର କଲେ।

ପଲେଷ୍ଟୀୟମାନେ ଶୁଣିଲେ ଯେ ଇସ୍ରାଏଲୀୟମାନେ ମି‌ସ୍‌ପୀରେ ମିଳିତ ହେଉଛନ୍ତି। ତେଣୁ ପଲେଷ୍ଟୀୟର ଶାସକ ଇସ୍ରାଏଲୀୟମାନଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଯେତେବେଳେ ଇସ୍ରାଏଲୀୟମାନେ ଏହା ଶୁଣିଲେ, ସେମାନେ ଭୟ କଲେ। ଇସ୍ରାଏଲୀୟମାନେ ଶାମୁୟେଲଙ୍କୁ କହିଲେ, “ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ବନ୍ଦ କର ନାହିଁ, ପଲେଷ୍ଟୀୟଙ୍କ କବଳରୁ ଆମକୁ ରକ୍ଷା କରିବାକୁ ପରମେଶ୍ୱରଙ୍କୁ ଗୁହାରି କର।”

ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ। 10 ଶାମୁୟେଲ ନୈବେଦ୍ୟ ଦ‌ଗ୍‌ଧ କରିବା ସମୟରେ ପଲେଷ୍ଟୀୟମାନେ ଯୁଦ୍ଧ କରିବା ପାଇଁ ଆସିଲେ କିନ୍ତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ଆଗରେ ଖୁବ୍ ଜୋ‌ର୍‌ରେ କୋଳାହଳ କଲେ ଏବଂ ପଲେଷ୍ଟୀୟମାନେ ଡରିଗଲେ ଓ ଦ୍ୱନ୍ଦରେ ପଡ଼ିଗଲେ, ସେଥିପାଇଁ ଇସ୍ରାଏଲୀୟମାନେ ସେମାନଙ୍କୁ ପରାସ୍ତ କଲେ। 11 ଇସ୍ରାଏଲୀୟମାନେ ମି‌ସ୍‌ପୀରୁ ପଲେଷ୍ଟୀୟଙ୍କୁ ଅନୁଧାବନ କଲେ। ସେମାନେ ବୈଥ୍-କର ପର୍ଯ୍ୟନ୍ତ ସେମାନଙ୍କୁ ଅନୁଧାବନ କଲେ। ସେମାନେ ପଲେଷ୍ଟୀୟ ସୈନ୍ୟମାନଙ୍କୁ ସେହି ରାସ୍ତାରେ ହତ୍ୟା କଲେ।

ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା

12 ଶାମୁୟେଲ ଏକ ପଥର ପ୍ରତିଷ୍ଠା କଲେ। ସେ ଏହା କରିବାର ଉଦ୍ଦେଶ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଏବଂ ସଦାପ୍ରଭୁଙ୍କର ସାହାଯ୍ୟ ମନେ ରଖିବା, ସେ ଏହି ପଥରକୁ ମି‌ସ୍‌ପୀ ଓ ଶେନ ମଧ୍ୟରେ ପ୍ରତିଷ୍ଠା କଲେ ଏହାର ନାମ “ସାହାଯ୍ୟକାରୀ ପଥର” ରଖିଲେ। ଶାମୁୟେଲ କହିଲେ, “ସଦାପ୍ରଭୁ ଆମ୍ଭକୁ ଏ ସ୍ଥାନରେ ସବୁ ପ୍ରକାର ସାହାଯ୍ୟ କରିଛନ୍ତି।”

13 ପଲେଷ୍ଟୀୟମାନେ ପରାସ୍ତ ହେଲେ। ସେମାନେ ପୁଣି ଇସ୍ରାଏଲରେ ପ୍ରବେଶ କଲେ ନାହିଁ। ସଦାପ୍ରଭୁ ଶାମୁୟେଲଙ୍କ ଅବଶିଷ୍ଟ ଜୀବନ କାଳରେ ପଲେଷ୍ଟୀୟଙ୍କ ବିରୁଦ୍ଧରେ ଗଲେ। 14 ପଲେଷ୍ଟୀୟମାନେ ଇସ୍ରାଏଲର ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସହର ଛଡ଼ାଇ ନେଇଥିଲେ? କିନ୍ତୁ ଇସ୍ରାଏଲୀୟମାନେ ସେହି ସହରଗୁଡ଼ିକୁ ଫେରାଇ ନେଲେ।

ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା।

15 ଶାମୁୟେଲ ତାଙ୍କର ଜୀବନସାରା ଇସ୍ରାଏଲର ନେତୃତ୍ୱ ନେଲେ। 16 ସେ ପ୍ରତି ବର୍ଷ ଦେଶର ଚତୁର୍ଦ୍ଦିଗ ଯାତ୍ରା କରନ୍ତି। ସେ ବୈଥେଲ୍, ଗି‌ଲ୍‌ଗଲ୍ ଓ ମି‌ସ୍‌ପୀ ପ୍ରଭୃତି ସ୍ଥାନକୁ ଯାତ୍ରା କଲେ। ସେ ଲୋକଙ୍କୁ ଅନୁଧ୍ୟାନ କରି ଶାସନ ଚଳାଇଲେ। 17 ଶାମୁୟେଲଙ୍କ ଘର ରାମାରେ, ତେଣୁ ସେ ସେଠାକୁ ଫେରି ଆସୁଥିଲେ। ସେ ରାମାଠାରୁ ଲୋକଙ୍କୁ ଅନୁଧ୍ୟାନ କରୁଥିଲେ ଓ ସେଠାରୁ ଶାସନ କରୁଥିଲେ। ତେଣୁ ଶାମୁୟେଲ ସଦାପ୍ରଭୁଙ୍କ ପାଇଁ ରାମାରେ ଯଜ୍ଞବେଦି ନିର୍ମାଣ କରିଥିଲେ।