Add parallel Print Page Options

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ’ଣ କରିବି। ମୋର ମହାନ ଶକ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ଏବଂ ସେ ମୋର ଲୋକମାନଙ୍କୁ ଯିବାକୁ ଦେବ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ୟ କରିବ ତାଙ୍କର ଦେଶ ଛାଡ଼ି ଯିବା ପାଇଁ?”

ପରମେଶ୍ୱର ମୋଶାଙ୍କୁ କହିଲେ, ଆମ୍ଭେ ଯିହୋବାଃ। “ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଦର୍ଶନ ଦେଇଥିଲୁ। ସେମାନେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ୱର ବୋଲି କହିଥିଲେ। ସେମାନେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନ ଥିଲେ। ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିଥିଲୁ ଏବଂ ଆମ୍ଭେ ସେମାନଙ୍କୁ କିଣାନ ଦେଶ ଦେବା ପାଇଁ ସେମାନଙ୍କଠାରେ ପ୍ରତିଜ୍ଞା କରିଥିଲୁ। ସେମାନେ ସେଠାରେ ବାସ କରୁଥିଲେ କିନ୍ତୁ ସେ ଦେଶ ସେମାନଙ୍କର ନ ଥିଲା। ବର୍ତ୍ତମାନ ଇସ୍ରାଏଲୀୟମାନଙ୍କର ଆର୍ତ୍ତ ଚିତ୍କାର ଆମ୍ଭେ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରବାସୀମାନେ କିପରି ସେମାନଙ୍କୁ କ୍ରୀତଦାସ କରିଅଛନ୍ତି। ଏବଂ ଆମ୍ଭେ ଆମ୍ଭର ଚୁକ୍ତି ମନେ ରଖିଅଛୁ। ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା। ତୁମ୍ଭେମାନେ ଆମ୍ଭର ଲୋକ ହେବ। ଏବଂ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଏବଂ ତୁମ୍ଭେ ଜାଣିବ ଯେ, ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କ ଦାଉରୁ ରକ୍ଷା କରିବା। ଆମ୍ଭେ ଅବ୍ରହାମ, ଇ‌ସ୍‌ହାକ ଏବଂ ଯାକୁବଙ୍କ ସହ ମହତ୍ ପ୍ରତିଜ୍ଞା କରିଅଛୁ। ଆମ୍ଭେ ପ୍ରତିଜ୍ଞା କରିଅଛୁ ତୁମ୍ଭମାନଙ୍କୁ ସେହି ଭୂମି ଦେବା ପାଇଁ। ଏବଂ ତୁମ୍ଭମାନଙ୍କୁ ସେହି ଭୂମିକୁ ନେଇଯିବାକୁ। ଏହା ତୁମ୍ଭମାନଙ୍କର ହେବ। ଆମ୍ଭେ ସଦାପ୍ରଭୁ ଅଟୁ।”’

ତେଣୁ ମୋଶା ଏହିସବୁ ଘଟଣା ଇସ୍ରାଏଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସେମାନଙ୍କର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସେମାନେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମୋଶାଙ୍କର କଥା ଶୁଣିବା ପାଇଁ ତାଙ୍କର ଆଉ ଧୈର୍ଯ୍ୟ ନ ଥିଲା।

10 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 11 “ମିଶରର ରାଜା ଫାରୋଙ୍କୁ ଯାଇ କୁହ, ତାଙ୍କର ଦେଶରୁ ଇସ୍ରାଏଲ ସନ୍ତାନଗଣଙ୍କୁ ପଠେଇ ଦେବା ପାଇଁ।”

12 କିନ୍ତୁ ମୋଶା ଉତ୍ତର ଦେଲେ, “ଇସ୍ରାଏଲ ସନ୍ତାନଗଣ ମୋର କଥାକୁ କର୍ଣ୍ଣପାତ କରି ନାହାନ୍ତି। ତେଣୁ ଫାରୋ ମୋର କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।”

13 କିନ୍ତୁ ସଦାପ୍ରଭୁ ଇସ୍ରାଏଲର ସନ୍ତାନଗଣଙ୍କୁ କହିବା ପାଇଁ ମୋଶା ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ଯିବା ପାଇଁ ଏବଂ ଇସ୍ରାଏଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସେମାନଙ୍କୁ ଆଜ୍ଞା ଦେଲେ।

ଇସ୍ରାଏଲୀୟମାନଙ୍କର କେତେକ ପରିବାର

14 ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ:

ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ।

15 ଶିମିୟୋନଙ୍କର ପୁତ୍ର ଯିମୂୟେଲ, ଯାମୀନ୍ ଓ ଓହଦ୍, ଯାଖୀନ୍, ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେ ଶିମିୟୋନଙ୍କର ବଂଶ।

16 ଲେବୀ 137 ବର୍ଷ ବଞ୍ଚିଥିଲେ। ଲେବୀଙ୍କର ସନ୍ତାନମାନେ ଥିଲେ, ଗେର୍ଶୋନ୍, କହାତ୍ ଓ ମରାରି।

17 ଗେର୍ଶୋନଙ୍କର ଦୁଇଜଣ ସନ୍ତାନ ଥିଲେ, ଲି‌ବ୍‌ନି ଓ ଶିମିୟି।

18 କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ,

19 ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି,

ଏହିସବୁ ବଂଶ ଇସ୍ରାଏଲୀୟ ଲେବୀ ବଂଶୀୟ ଥିଲେ।

20 ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ୍ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକେବଦ। ଏଣୁ ଅମ୍ରମ୍ ଆଉ ଯୋକେବଦ ହାରୋଣ ଓ ମୋଶାଙ୍କୁ ଜନ୍ମ ଦେଲେ।

21 ଯି‌ଷ୍‌ହରର ସନ୍ତାନ କୋରହ, ନେଫଗ୍ ଓ ସିଖ୍ରି।

22 ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଥ୍ରି।

23 ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା।

24 କୋରହର ସନ୍ତାନ ଅସୀର, ଇ‌ଲ୍‌କାନା ଓ ଅବୀୟାସଫ୍। ଏମାନେ କୋରହର ବଂଶ।

25 ହାରୋଣର ପୁତ୍ର ଇଲିୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କଲେ ଓ ସେ ପୀନହ‌ସ୍‌କୁ ଜନ୍ମ ଦେଲା।

ଏମାନେ ସମସ୍ତେ ଲେବୀୟ ଥିଲେ।

26 ହାରୋଣ ଓ ମୋଶା ଏହି ପରିବାରବର୍ଗର ଥିଲେ ଏବଂ ସେମାନେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, “ତୁମ୍ଭେମାନେ ସୈନ୍ୟ ଶ୍ରେଣୀବଦ୍ଧ ଇସ୍ରାଏଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।” 27 ଏମାନେ ମିଶରରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସେହି ହାରୋଣ ଓ ମୋଶା।

ପୁନର୍ବାର ପରମେଶ୍ୱର ମୋଶାଙ୍କୁ ଡାକିଲେ

28 ମିଶରର ସେହି ଭୂମିରେ ପରମେଶ୍ୱର ମୋଶାଙ୍କୁ କହିଥିଲେ। 29 ସେ କହିଲେ, “ମୁଁ ସଦାପ୍ରଭୁ ଅଟେ। ମିଶରର ରାଜା ଫାରୋଙ୍କୁ ମୋର କହିଥିବା ସମସ୍ତ କଥା କୁହ।”

30 କିନ୍ତୁ ମୋଶା ଉତ୍ତର ଦେଲେ, “ମୁଁ ଜଣେ ଅତି ମନ୍ଦ ବକ୍ତା, ରାଜା ମୋ’ କଥା ଶୁଣିବେ ନାହିଁ।”